Festivals of Odisha – ଓଡ଼ିଶାର ପର୍ବପର୍ବାଣୀ

Festivals of Odisha – ଓଡ଼ିଶାର ପର୍ବପର୍ବାଣୀ


ଆମ ସଂସ୍କୃତି ଏକ ସମୃଦ୍ଧ ସଂସ୍କୃତି | ଭାରତ ବର୍ଷରେ ଉତ୍କଳ ଏକ ପୁଣ୍ୟ ଭୂମି | ଏହାର ଧୂଳିକଣାରେ ମହାନତା ଓ ପବିତ୍ରତା ଭରି ରହିଛି | ଯୁଗ ଯୁଗର ସାଧନା ବଳରେ ଆମ ପୂର୍ବ ପୁରୁଷ ମାନେ ଏହି ପରମ୍ପରାକୁ ବଜାୟ ରଖିଛନ୍ତି | ଓଡିଶାର  ପ୍ରତ୍ୟେକ ବ୍ୟକ୍ତି ଧର୍ମପ୍ରାଣ ହେତୁ ହସ ଉଲ୍ଲାସରେ ବାର ମାସରେ ତେର ପର୍ବ ପାଳନ କରନ୍ତି |

ଓଡିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ସଚେତନ | କର୍ମକ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ | ବିଭିନ୍ନ ପର୍ବପର୍ବାଣି ପାଳନ କରିବା ଦ୍ୱାରା ମନର ଆବିଳତା ଦୂର ହୁଏ ଓ ଭକ୍ତିଭାବନା ଜାଗ୍ରତ ହୁଏ | ସାମାଜିକ ଜୀବନର କୁସଂସ୍କାର ଓ ସଂକୀର୍ନ୍ତତା ଦୂରୀକରଣ ପର୍ବପାଳନର ଆଉ ଏକ ଉଦ୍ଦେଶ୍ୟ |  ପର୍ବପାଳନ କରି ମନୁଷ୍ୟ ଅପାର ଆନନ୍ଦ ଅନୁଭବ କରେ | ତେଣୁ ଜୀବନ ହୁଏ ସରସ ଓ ମଧୁମୟ | ଓଡିଶା ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧରି ଚଳି ଆସୁଛି | ଜଗନ୍ନାଥ ହେଉଛନ୍ତି ଓଡିଶା ବାସୀଙ୍କ ଆରାଧ୍ୟ ଦେବତା | ସମସ୍ତ ଓଡ଼ିଆଙ୍କ ଘରେ ଘରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଆନ୍ତି | ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରି ଆମେ ସମସ୍ତେ ପୂଜାପାଠ ଆରମ୍ଭ କରୁ |

ନୀଳାଚଳ ନିବାସାୟୁ ନିତ୍ୟାୟ ପରମାତ୍ମନେ

ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ || 

ଜଗଦାନନ୍ଦ କନ୍ଦାୟ ପ୍ରଣତାଭି ହରାୟ ଚ 

ନୀଳାଚଳ ନିବାସାୟ ଜଗନ୍ନାଥାୟ ତେ ନମଃ ||

ଓଡ଼ିଶାର ବୈଶାଖଠାରୁ ଚୈତ୍ର ମାସ ପର୍ଯ୍ୟନ୍ତ ବାରମାସ ବୋଲି ଧରାଯାଏ | ଏପରି କୌଣସି ମାସ ନାହିଁ ଯେଉଁ ମାସରେକି କୌଣସି ପର୍ବ ପାଳିତ ହୋଇନଥାଏ |


୧ || ବୈଶାଖ ମାସରେ ପାଳିତ ହେଉଥିବା ପର୍ବପର୍ବାଣି  ମାନଙ୍କ ମଧ୍ୟରେ ରୃକ୍ଣଣି ଅମାବାସ୍ୟା, ଅକ୍ଷୟ ତୃତୀୟା, ଗୁରୁ ପଞ୍ଚମୀ ବ୍ରତ, ସୀତା ନବମୀ, ନୃସିଂହ ଜନ୍ମ, ଚନ୍ଦନ ଯାତ୍ରା ପ୍ରଭୁତି ପ୍ରଧାନ | ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ | ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି |  ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ ହୁଏ |  ଚାଷୀ ମାନେ ତାଙ୍କର ଜମିରେ ବିହନ ଅନୁକୂଳ କରି ଥାନ୍ତି ଆଉ ମଧ୍ୟ ଏହି ଦିନ ଜଗନ୍ନାଥ ରଥ କାର୍ଯ୍ୟ ଆରମ୍ଭ ହୁଏ |  ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୁଏ | ମହାପ୍ରଭୁ ଜଗନ୍ନାଥ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳନ୍ତି |  ଦୁଇଟି ନାଆରେ ସୁସଜ୍ଜିତ ବିମାନରେ ବସି ଜଳକ୍ରୀଡା କରନ୍ତି |  ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ପୃଥିବୀ ପ୍ରସିଦ୍ଧ | 


୨ || ଜେଷ୍ଠ ମାସରେ ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ,  ଗଙ୍ଗା ଦଶହରା, ଚମ୍ପକ ଦ୍ୱାଦଶୀ, ଶିବ ବିବାହ, ରଜ ଓ ଦେବସ୍ନାନ ପୂର୍ଣ୍ଣମୀ ପ୍ରଭୁତି ପାଳନ କରାଯାଏ |  ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀମାନେ ସ୍ୱାମୀମାନଙ୍କର ଦୀର୍ଘାୟୁ କାମନା କରି ପର୍ବ ପାଳନ କରନ୍ତି |  ଶିବଙ୍କର ବିବାହ ଶୀତଳ ଷଷ୍ଠିରେ ଅନୁଷ୍ଠିତ ହୁଏ |  ସମ୍ବଲପୁର, ଭୁବନେଶ୍ୱର ଓ ପୁରୀରେ ଶୀତଳ ଷଷ୍ଠି ଉତ୍ସବ ମହା ସମାରୋହ ରେ ପାଳିତ ହୁଏ |  ଚମ୍ପକ ଦ୍ୱାଦଶୀ ମଧ୍ୟ ଆଉ ଏକ ପର୍ବ |  ବାଣରୋଷଣୀରେ ଗାଁ ପ୍ରକମ୍ପିତ ହୁଏ |  

ରଜ ଆଉ ଏକ ବିଶିଷ୍ଟ ପର୍ବ – ତିନି ଦିନ ଧରି ଓଡ଼ିଶାର ପୁରା ପଲ୍ଲୀରେ ପାଳିତ ହୁଏ |  ଏହି ସମୟ ରେ ଧରିତ୍ରୀ ହୁଏ ରଜସ୍ୱଳା, କୃଷକମାନେ ତିନି ଦିନ ଜମିରେ ହଳ କରନ୍ତି ନାହିଁ  |  ଚତୁର୍ଥ ଦିନ ଧରିତ୍ରୀ ଦେବୀଙ୍କୁ ପୂଜା କରାଯାଏ ନାନାଦି ଫଳରେ ପୂଜା କରାଯାଏ  |  ଝିଅମାନେ ରାଜାପର୍ବ କୁ ବହୁତ ଉପଭୋଗ କରନ୍ତି |  ବିଭିନ୍ନ ସ୍ଥାନରେ ପାଲା, ଦାସକାଠିଆ, ଯାତ୍ରା ଓ ସଂଗୀତ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ହୋଇଥାଏ  |  ରଜ ପର୍ବର ମୁଖ୍ୟ ଆକର୍ଷଣ ହେଲା ଦୋଳି, ପୋଡ଼ପିଠା ଓ ପାନ |  ଝିଅ ମାନେ ଅତ୍ୟନ୍ତ ଆନନ୍ଦର ସହିତ ରଜପର୍ବ ତିନି ଦିନ ଧରି ପାଳନ କରି ଥାନ୍ତି |  

ତାପରେ ହେଲା ଜ୍ୟେଷ୍ଟ ପୃଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣମୀ | ଶ୍ରୀ ଜଗନ୍ନାଥ ସ୍ନାନବେଦି ୧୦୮ ଗରା ପାଣି ଗାଧୋଇ ଗଜା ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି |  ଏହା ଏକ ଆକର୍ଷଣୀୟ ବେଶ |  ଏହାକୁ ଦେଖିବା ପାଇଁ କୋଣ ଅନୁକୋଣ ରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି | 


୩ || ଏହା ପରେ ଆରମ୍ଭ ହୁଏ ଆଷାଢ଼ ମାସ | ଆଦ୍ୟ ଆଷାଢ଼ରେ ବର୍ଷାରେ ଅବନୀ ହୁଏ ଉତ୍ଫଳିତ  |  ଜଗନ୍ନାଥଙ୍କର  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୁଏ |  ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଦେବୀ ଓ ସୁଦର୍ଶନ ରଥାରୁଢ଼ ହୋଇ ବଡଦାଣ୍ଡ ରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି |  ତିନୋଟି  ସୁସଜ୍ଜିତ ରଥରେ ଠାକୁର ମାନେ ବସି ଶ୍ରୀ ମନ୍ଦିରରୁ ବିଜେ କରି ଗୁଣ୍ଡିଚା ମନ୍ଦିର କୁ ଯାତ୍ରା କରନ୍ତି |  ଏହା ନବଦିନ ଯାତ୍ରା ହୋଇଥାଏ |  ବାହୁଡା ଯାତ୍ରାରେ ପୁଣି ଠାକୁର ମାନେ ଶ୍ରୀମନ୍ଦିରକୁ  ପ୍ରତ୍ୟାବର୍ତ୍ତନ କରନ୍ତି |  ଏକାଦଶୀ ଦିନ ତାଙ୍କର ରଥ ଉପରେ ସୁନା ବେଶ ହୋଇ ଥାଏ |  ଏହା ଏକ ଦୁର୍ଲଭ ଦୃଶ୍ୟ  ଯାହାକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି |  ଆଷାଢ଼ ମାସର ପୂର୍ଣ୍ଣମୀକୁ ବ୍ୟାସ ପୂର୍ଣ୍ଣମୀ ବା ଗୁରୁ ପୂର୍ଣ୍ଣମୀ ରୂପେ ପାଳିତ କରାଯାଏ | 


୪ || ତାପରେ ଶ୍ରାବଣ ମାସର ଆରମ୍ଭ | ଏହି ମାସରେ କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ସଂକ୍ରାନ୍ତି |  ମହାଲକ୍ଷ୍ମୀଙ୍କ ଶ୍ରାବଣ ମାସର ଆଗମନରେ ପ୍ରଥମ ପର୍ବ କର୍କଟ ସଂକ୍ରାନ୍ତି ପାଳିତ ହୁଅ |  ଜଗନ୍ନାଥ ଏହି ଦିନ ଶ୍ରୀମନ୍ଦିରରେ ସୁନା ଚିତା ମସ୍ତକରେ ଲାଗି ହୁଅନ୍ତି |  ଘରେ ଘରେ ଚିତଉ ପିଠା ହୋଇ ଲକ୍ଷ୍ମୀ ପୂଜା କରାଯାଏ |  କୃଷକର ଗୃହିଣୀ ଏହିପର୍ବରେ ଚିତଉ ପିଠା ଦେଇ ବିଲରେ ଲକ୍ଷ୍ମୀଙ୍କୁ ପୂଜା କରିଥାଏ |  ଜମିରେ କିପରି ଶସ୍ୟ ଶ୍ୟାମଳାରେ ଭରିବା ଏହାକୁ ମନରେ ସ୍ମରଣ କରି ପୂଜା କରିଥାଏ |  ଗହ୍ମା ପୂର୍ଣମୀ ଆଉ ଏକ ପବିତ୍ର ପର୍ବ | ଏହି ଦିନ ବଳଭଦ୍ରଙ୍କ ଜନ୍ମ ରୂପେ ପାଳିତ କରାଯାଏ |  ଗାଈ ଓ ବଳଦ ମାନଙ୍କୁ ପୂଜା କରାଯାଏ | ଆଉ ଏହାକୁ ମଧ୍ୟ ରାଖୀ ପୂର୍ଣମୀ କୁହାଯାଏ |  ଭଉଣୀ ମାନେ ଭାଇ ହାତରେ ରାଖୀ ବାନ୍ଧି ଥାଏ |  ଭାଇ ତାକୁ ସବୁ କାର୍ଯ୍ୟରେ ସାହାଯ୍ୟ କରେ |  ଏହା ଲୋକ ମାନଙ୍କର  ବିଶ୍ୱାସ | ବିଶ୍ୱାସ ମୂଳେ ଭଗବାନ ଘରେ ଘରେ ପିଠା ପଣା ହୁଅ |  ଘରେ ଗୃହ ଦେବୀଙ୍କୁ ପୂଜା କରାଯାଏ |  ସମସ୍ତେ ଆନନ୍ଦ ଉଲ୍ଲାସରେ ଏହି ପର୍ବ କୁ ପାଳନ କରନ୍ତି | 


୫ || ଶ୍ରାବଣ ମାସ ପରେ ଆସେ ଭାଦ୍ରବ ମାସ |  ଏହି ମାସରେ ଝିଅ ମାନେ ଖୁଦୁରୁକୁଣୀ ଓଷା ପାଳନ କରନ୍ତି |  ଏହା ତଅପୋଇ ଓଷା ନାମରେ ପରିଚିତ |  ପ୍ରତି ରବିବାର ଦିନ ଖୁଦୁରୁକୁଣୀ ଓଷା ପାଳନ କରନ୍ତି |  ଭଉଣୀମାନେ ଭାଇମାନଙ୍କର ଶୁଭକାମନା ପାଇଁ ଏହି ଓଷା ପାଳନ କରିଥାନ୍ତି | ଆଉ ମଧ୍ୟ ଝୁଲଣ, ଜନ୍ମାଷ୍ଟମୀ, ସପ୍ତପୁରୀ ଅମାବାସ୍ୟା, ଅନନ୍ତ ବ୍ରତ, ଗଣେଶ ପୂଜା ଓ ବାଲି ତୃତୀୟା, ଭାଗବତ ଜନ୍ମ ଓ ସୁନିଆ ପ୍ରଭୁତି ପାଳନ କରାଯାଏ |  ଗଣେଶ ପୂଜା ଶିକ୍ଷାନୁଷ୍ଠାନ ମାନଙ୍କରେ ଜାକଯମକରେ ପାଳନ କରନ୍ତି |  ବିଦ୍ୟା ର ଦେବତା ହେଲେ ଗଣେଶ |  ତେଣୁ ଆନନ୍ଦ ଉଲ୍ଲାସ ରେ ପିଲାମାନେ ଗଣେଶ ପୂଜା ପାଳନ କରନ୍ତି |  ଜନ୍ମାଷ୍ଟମୀ କୃଷ୍ଣଙ୍କର ଜନ୍ମ ତିଥି ହୋଇଥିବାରୁ ଆମର ହିନ୍ଦୁ ମାନେ ସାରା ଭାରତରେ ଏହି ଜନ୍ମାଷ୍ଟମୀକୁ ବ୍ରତ ବହୁ ଧୂମଧାମ ରେ ପାଳନ କରିଥାନ୍ତି |  ସେହିପରି ଗୃହିଣୀମାନେ ଭାଦ୍ରବ ମାସ ର ବୁଧବାର ଦିନ ବୁଧେଇ ଓଷା ପାଳନ କରନ୍ତି |  ଉତ୍କଳ ରେ ସୁନିଆ ଏକ ପବିତ୍ର ପର୍ବ |  ଅନେକ ଲୋକ ସେହି ଦିନ ଠାରୁ ନୂତନ ବର୍ଷ ଗଣନା କରି ନୂଆ ଖାତା ଆରମ୍ଭ କରନ୍ତି | 


୬ || ଏହା ପରେ ଆଶ୍ୱିନ ମାସ  |  ଏହି ମାସରେ ଗର୍ଭଣା ସଂକ୍ରାନ୍ତି, ମହାଳୟା ଦଶହରା, ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ପର୍ବ ପଡିଥାଏ  | ଆଶ୍ୱିନ ମାସ ଆରମ୍ଭ ରୁ ଆମର ଅପରପକ୍ଷ ଆରମ୍ଭ ହୁଅ |  ଏହି ପନ୍ଦର ଦିନ ପର୍ଯ୍ୟନ୍ତ ପାଳନ କରନ୍ତି ଓ ଅମାବାସ୍ୟା ଦିନ ମହାଳୟା ଶ୍ରାଦ୍ଧ କରିଥାନ୍ତି |  ପିତୃପୁରୁଷ ଙ୍କୁ ପିଣ୍ଡ ଦାନ କରିଥାନ୍ତି |  ଗର୍ଭଣା ସଂକ୍ରାନ୍ତି ଚାଷୀ ମାନଙ୍କର ଏକ ପବିତ୍ର ଦିନ |  ଧାନ ଗଛ କୁ ଏହି ଦିନ ପୂଜା କରାଯାଏ |  ଓଡିଶା ରେ ଦୁର୍ଗାପୂଜା ବା ଦଶହରା ମହା ସମାରୋହରେ ପାଳିତ ହୁଅ |  ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ଦୁର୍ଗାପୂଜା ଉତ୍କଳ ର ପୁରା ପଲ୍ଲୀ , ସହର ବଜାରରେ ଖୁବ ଜାକଯମକରେ ପାଳନ କରାଯାଏ |  ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢ଼ ବା ତୋରଣ ମାନ ପ୍ରସ୍ତୁତି ହୋଇଥାଏ |  କଟକ ସହରରେ ଦୁର୍ଗାପୂଜା ଓ କେନ୍ଦ୍ରାପଡା ରେ ଗଜଲକ୍ଷ୍ମୀ ଖୁବ ସମାରୋହ ରେ ପାଳିତ ହୁଅ |  ଆଶ୍ୱିନ ପୂର୍ଣମୀ କୁମାର ପୂର୍ଣମୀ ନାମରେ ପରିଚିତ |  କୁମାରୀ ମାନେ ମଧ୍ୟ ନୂତନ ବସ୍ତ୍ର ପରିଧାନ କରି ପର୍ବଟିକୁ ଆନନ୍ଦ ରେ ପାଳନ କରନ୍ତି | 


୭ || ଏହା ପରେ କାର୍ତିକ ମାସ ପଡେ | କାର୍ତିକ ବ୍ରତ କାର୍ତିକ ମାସ ଯାକ ପାଳନ କରନ୍ତି |  ଏହା ଏକ ଧର୍ମ ମାସ |  ଏହି ମାସ ରେ ଦୀପାବଳି, ଗୋବର୍ଧନ ପୂଜା, ଅଁଳା ନବମୀ,ବଡ ଓଷା , ପଞ୍ଚୁକ ଯାତ୍ରା ଓ କାର୍ତିକ ପୂର୍ଣମୀ ବା ରାସ ପୂର୍ଣମୀ ପାଳନ କରାଯାଏ |  ଦୀପାବଳି ଏକ ବିଶିଷ୍ଟ ପର୍ବ |  ଦୀପ ଓ ଆଲୋକ ମାଳା ପୁରପଲ୍ଲୀ ଓ ସହର ଆଲୋକିତ ହୋଇଉଠେ |  ଆତସବାଜି ରେ ଗଗନ ପବନ ପ୍ରକମ୍ପିତ ହୁଅ |  ପିଠାପଣାରେ ଉତ୍କଳୀୟମାନେ ଆନନ୍ଦରେ ସମୟ ଅତିବାହିତ କରନ୍ତି |  ଅଁଳାନବମୀ ଏହି ଦିନ ଅଁଳାଗଛକୁ ପୂଜା କରାଯାଏ |  ସାକ୍ଷୀଗୋପାଳରେ ଗୋପାଳଜୀଉଙ୍କ ମନ୍ଦିରରେ ରାଧାଙ୍କର ପାଦଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ସମାଗମ ହୁଅ |  ବର୍ଷକରେ ଏହି ଦିନ ରାଧାଙ୍କର ପାଦ ଦର୍ଶନ କରିବାକୁ ମିଳେ | ବଡ଼ଓଷା ଚତୁର୍ଦ୍ଧଶି ଦିନ ପାଳନ କରାଯାଏ |  ଏହି ପର୍ବରେ  ମହାଦେବଙ୍କୁ ପୂଜା କରାଯାଏ |  ଶୈବପୀଠ ଗୁଡିକ ଲୋକାରଣ୍ୟ ହୋଇଥାଏ |  ପଞ୍ଚୁକ ବ୍ରତ ପାଳନ କରାଯାଏ |  ଏହାକୁ ବଗ ପଞ୍ଚୁକ କୁହାଯାଏ |  ବଗ ମଧ୍ୟ ଏହି କାର୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ମାଛ ଖାଏନି |  ଏହା ଲୋକକଥା |  ଦଶମୀ ଠାରୁ ପୂର୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ  ପାଳନ କରାଯାଏ  |  ରାଧା ଦାମୋଦରଙ୍କୁ ପୂଜା କରାଯାଏ |  ଅଧିକାଂଶ ନାରୀ ଏହି ମାସଟି ନିରାମିଷରେ ପାଳନ କରନ୍ତି |  କାର୍ତିକ ପୂର୍ଣମୀ ବା ରାସ ପୂର୍ଣମୀ ଦିନ ସମସ୍ତେ ସକାଳୁ ଗାଧୋଇ ନଦୀ ବା ପୁଷ୍କରଣୀ ରେ କଦଳୀ ପାଟୁକା ରେ ଡଙ୍ଗା କରି ଭସାଇ ଦିଅନ୍ତି |  ଉତ୍କଳରେ ଗୌରବମୟ ଏତିହ୍ୟ କୁ ସ୍ମରଣ କରି ଏହି ପର୍ବ ପାଳନ କରିଥାନ୍ତି |  ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରା କଟକରେ ଅନୁଷ୍ଠିତ ହୁଅ |  ହଜାର ହଜାର ଲୋକଙ୍କର ସମାଗମ ହୁଅ | 


|| ଏହା ପରେ ଆସେ ମାର୍ଗଶିର ମାସ |  ଏହି ମାସ ର ପ୍ରଥମ ଦିନଟି ଆମେ ଛାଡଖାଇ ରୂପେ ପାଳନ କରୁ |  ପ୍ରଥମାଷ୍ଟମୀ, କାଞ୍ଜିଅଁଳା ନବମୀ, ପଂଡୁ ଓଷା ପ୍ରଭୁତି ଏହି ମାସ ରେ ପାଳନ କରାଯାଏ | ମାର୍ଗଶିର ମାସ ରେ ମାଣବସା ଗୁରୁବାର ପାଳନ କରଯାଏ |  ଚିତା, ଝୋଟିରେ ପୁରପଲ୍ଲୀ ଉଲ୍ଲସି ଉଠେ |  ମା ମହାଲକ୍ଷ୍ମୀଙ୍କୁ ଆବାହନ କରାଯାଇ ମାଣବସା ଗୁରୁବାର କରାଯାଏ | ଏହିଦିନ ମାଣରେ ନୂଆ ଧାନ, ମୁଗ, ବିରି ପୂରଣ କରି ଗନ୍ଧ,ପୁଷ୍ପ,ଧୂପ, ଦୀପ ଓ ନୈବେଦ୍ୟର ସହ ଲକ୍ଷ୍ମୀ ଙ୍କୁ ପୂଜା କରାଯାଏ ଖିରି,ଖେଚୁଡ଼ି ଓ ପିଠା, ତରକାରୀ ନାନା ବିଧି ବ୍ୟଞ୍ଜନରେ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ |  ପ୍ରଥମାଷ୍ଟମୀ ପର୍ବରେ ମହାଲକ୍ଷ୍ମୀଙ୍କୁ ପ୍ରଥମ କରି ବନ୍ଦାପନା କରି ଏଣ୍ଡୁରି ପିଠା ଓ ହଳଦୀ ପତ୍ରର ପିଠା କରି ପୂଜା କରାଯାଏ |  ପରିବାର ର ବଡ ପିଲା ନୂତନ ବସ୍ତ୍ର ପରିଧାନ କରେ, ତାକୁ ବନ୍ଦାପନା କରାଯାଏ, ମାର୍ଗଶିର ପୂର୍ଣମୀ କୁ ପଣ୍ଡୁ ପୁର୍ଣିମା କୁହାଯାଏ | 


୯ || ଏହା ପରେ ପୌଷ ମାସ ଆରମ୍ଭ ହୁଅ |  ପୌଷ ମାସରେ ବକୁଳ ଅମାବାସ୍ୟା, ଧନୁ ସଂକ୍ରାନ୍ତି, ଶାମ୍ବ ଦଶମୀ ଓ ଦେବାଭିଷେକ ପୁର୍ଣିମା ପାଳିତ ହୁଏ | ଏହି ଦିନ ଜଗନ୍ନାଥ ରାଜ୍ୟାଭିଷେକରେ ପୂଜା ପାଆନ୍ତି |  ଜଗନ୍ନାଥ ସୁନାବେଶ ହୁଏ |  ଶାମ୍ବ ଦଶମୀ ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ କାରଣ ସୂର୍ଯ୍ୟବଂଶୀୟ ରାଜା ଶାମ୍ବ ଅଭିଶାପ ପାଇ କୁଷ୍ଠ ରୋଗରେ ପୀଡିତ ଥିଲେ |  ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରି ଏହି ରୋଗରୁ ମୁକ୍ତି ଲାଭ କରିଥିଲେ, ବକୁଳ ଅମାବାସ୍ୟା ଦିନ ମଣ୍ଡା ଓ ଗଇଁଠା ପିଠା ହୋଇ ଠାକୁରଙ୍କ ପାଖରେ ପୂଜା କରାଯାଏ |  ଧନୁ ସଂକ୍ରାନ୍ତି ରେ ଧନୁ ମୁଆଁ ଠାକୁରଙ୍କ ପାଖରେ ପୂଜା କରାଯାଏ | 


୧୦ || ଏହା ପରେ ମାଘ ମାସ ଆରମ୍ଭ ହୁଏ |  ଏହି ମାସରେ ବିଦ୍ୟାଦାତ୍ରୀ ସରସ୍ବତୀ ପୂଜା ପାଳନ କରାଯାଏ |  ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ |  ଘରେ ମକର ଚାଉଳ ପ୍ରସ୍ତୁତ କରି ପୂଜା କରାଯାଏ |  ମତ ସପ୍ତମୀ ଆଉ ଏକ ପର୍ବ |  ମାଘ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ଏହା ପାଳନ କରାଯାଏ |  ଚନ୍ଦ୍ରଭାଗାରେ ହଜାର ହଜାର ଯାତ୍ରୀ ଉପଗତ ହୋଇ ବୁଡ଼ ପକାଇଥାନ୍ତି |  ମାଘ ପୂର୍ଣମୀ କୁ ଅଗ୍ନି ପୂର୍ଣମୀ / ଅଗ୍ନୀ ଉତ୍ସବ କୁହାଯାଏ | 


୧୧ || ଏହା ପରେ ଫଗୁଣ ମାସ ଆରମ୍ଭ ହୁଏ |   ଫାଲଗୁନ ମାସ ରେ ଶିବରାତ୍ରି, ଦୋଳ ଯାତ୍ରା ପର୍ବ ପାଳନ କରାଯାଏ |  ଶିବରାତ୍ରି ବା ଜାଗର ଅମାବାସ୍ୟା ରେ ଶିବଙ୍କୁ ପୂଜା କରାଯାଏ |  ଶୈବପୀଠ ଗୁଡିକ ଏହି ଦିନ ଲୋକାରଣ୍ୟ ହୋଇଯାଏ |  ଧବଳେଶ୍ୱର, କପିଳାସ, ଲିଙ୍ଗରାଜ ମହାପ୍ରଭୁ, ପୁରୀର ଲୋକନାଥ, ଗୁପ୍ତେଶ୍ୱର, ଆଖଣ୍ଡଳମଣି, ଚନ୍ଦନେଶ୍ୱର ଏହି ସବୁ ଶୈବପୀଠ ଗୁଡିକରେ ଜନସମାଗମ ହୁଏ |  କଟକର ଗଡାଗଡ଼େଶ୍ୱର ମହାଦେବ ମଧ୍ୟ ଅନ୍ୟତମ |  ଏହି ସବୁ ପୀଠ ରେ ଜାଗର ଯାତ୍ରା ଅନୁଷ୍ଠିତ ହୁଏ |  ଦୋଳପୂର୍ଣମୀରେ ରାଧା କୃଷ୍ଣଙ୍କର ଯୁଗଳ ମୂର୍ତି ବିମାନରେ ସୁସଜ୍ଜିତ  ହୋଇ ପୂଜା ପାଆନ୍ତି, ଦୋଳିରେ ବସି ଦୋଳ ଗୋବିନ୍ଦ ରୂପେ ପୂଜା ପାଆନ୍ତି |  ଦୋଳବେଦୀ ରେ ନୂତନ ପଞ୍ଜିକା ଅନୁକୂଳ କରି ପାଠ କରାଯାଏ | 


୧୨ || ଏହା ପରେ ଚୈତ୍ର ମାସ ଏହାର ପ୍ରଥମ ଦିନଟି ହୋଲି ରୂପେ ପାଳିତ ହୁଏ |  ରଙ୍ଗବେରଙ୍ଗ ର ଅଭିର ରେ ଆବାଳ ବୃଦ୍ଧ ବନିତା ରଙ୍ଗିତ ହୋଇ ଜୀବନକୁ ଉପଭୋଗ କରନ୍ତି ଓଡ଼ିଶା ର ବହୁ ସ୍ଥାନ ରେ ପଞ୍ଚୁ ଦୋଳ, ସପ୍ତ ଦୋଳ ଓ ଦଶ ଦୋଳ ପାଳନ କରାଯାଏ |  ଏହା ବ୍ୟତୀତ ଅଶୋକାଷ୍ଟମୀ ପାଳନ କରାଯାଏ |  ଲିଙ୍ଗରାଜ ମହାପ୍ରଭୁଙ୍କ ର ଏକ ବଡ ପର୍ବ |  ଏହା ପରେ ଶ୍ରୀରାମ ନବମୀ ଓ ପଣା ସଂକ୍ରାନ୍ତି ମଧ୍ୟ ନାନା ଉତ୍ସାହ ସହକାରେ ପାଳନ କରାଯାଏ | ପଣା ସଂକ୍ରାନ୍ତି ଦିନ ନୂତନ ପଞ୍ଜିକା ଆରମ୍ଭ ହୁଏ |  ପଣା ସଂକ୍ରାନ୍ତି ଦିନ ଧରିତ୍ରୀ ଦେବୀଙ୍କୁ ରୌଦ୍ର ତାପ ରୁ ଶାନ୍ତି କରିବା ପାଇଁ ପଣା ପୂଜା କରଯାଏ |  ବୃନ୍ଦାବତୀ ଦେବୀ ଙ୍କୁ ମଧ୍ୟ ପୂଜା କରାଯାଏ | ଓଡିଶା ର ବିଭିନ୍ନ ସ୍ଥାନ ରେ ଦଣ୍ଡ ଯାତ୍ରା ଓ ଝାମୁ ଯାତ୍ରା ପାଳିତ ହୁଏ | ଚୈତ୍ର ପୂର୍ଣମୀ କୈବର୍ତ ମାନଙ୍କ ର ଏକ ପ୍ରଧାନ ପର୍ବ | 


ଓଡିଶାରେ ଯେତେ ପର୍ବପର୍ବାଣି ପାଳିତ ହୁଏ, ସେସବୁର ସାମଜିଏ ଉପଯୋଗୀତା ଅଛି |  ରଜ ପର୍ବର ସାମାଜିକ ମୂଲ୍ୟବୋଧ ଅତ୍ୟନ୍ତ ମହାନ |  କାର୍ତିକ ପୂର୍ଣମୀ ଉତ୍କଳ ର ନୌବାଣିଜ୍ୟର ଗୌରବମୟ ଅଧ୍ୟାୟକୁ ସ୍ମରଣ କରାଇଥାଏ |  ରଥ ଯାତ୍ରା ସାମାଜିକ ଜୀବନରେ ମହାନୁଭବତ ଏବଂ ବିଶ୍ୱ ଜନନୀତା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ |  ଅନେକ ପର୍ବ ତତ୍ୱ ସମ୍ବଳିତ କୃଷି ଓ ସୁସ୍ଥ ସମାଜ ଗଠନ ପର୍ବ ପର୍ବାଣି ପାଳନ ର ଉଦ୍ଦେଶ୍ୟ |  ପର୍ବ ପର୍ବାଣି ର ମହନୀୟ ପରମ୍ପରା ଅକ୍ଷୁର୍ଣ ରହିବ ବିଧେୟ |  ପର୍ବପର୍ବାଣି ପାଳ ର ମୂଳ ଉଦ୍ଦେଶ୍ୟ ହେଲା ମନରେ ଭକ୍ତିଭାବ ଭଦ୍ରେକ କରିବା ଓ କୁସଂସ୍କାରରୁ ଦୂରରେ ରହିବା |  ଆମ ଓଡିଶା ଏକ ଧାର୍ମିକ ପରମ୍ପରା ରାଜ୍ୟ | 

ଲେଖିକା  

ଶ୍ରିମତୀ କାନନବାଳା ମିଶ୍ର 

Share this post

Leave a Reply

Your email address will not be published.


Odisha Society of United Kingdom (OSUK)